ପ୍ରସିଦ୍ଧ ବୈଶାଖ ମେଳା ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଜାରି

ପଦ୍ମପୁର (ଲହର ମିଡ଼ିଆ) ବରଗଡ ଜିଲ୍ଲାର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରସିଦ୍ଧ ବୈଶାଖ ମେଳା ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଜାରି ରହିଛି। ଆଗାମୀ ୭ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି । ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ତତ୍ତ୍ଵାବଧାନରେ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପଧାନ, ବୈଶାଖ ମେଲା କମିଟି ସଦସ୍ୟ ସଞ୍ଜୀବ ମାଝୀ ପ୍ରମୁଖ ଭୁବନେଶ୍ୱର ଯାଇ କେନ୍ଦ୍ର ହାଉସିଂ ଓ ନଗର ଉନ୍ନୟନ ମନ୍ତ୍ରୀ ଟୋଖନ ସାହୁଙ୍କୁ ହୋଟେଲ ମେଫେଆରରେ ସାକ୍ଷାତ କରି ବୈଶାଖ ମେଳାକୁ ନିମନ୍ତ୍ରଣ କରିଥିଲେ । ଏହି ଅବସରରେ ଶ୍ରୀ ନୃସିଂହନାଥ ଓ ବୈଶାଖ ମେଳାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସେହିପରି ଓଡ଼ିଶାର ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାହାରୀ, ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟ ଉନ୍ନୟନ ବିଭାଗ କମିଶନର ଅନୁ ଗର୍ଗ, ପୁରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ରାଜ୍ୟ ଶ୍ରମ ବିଭାଗ କମିଶନର ଇନ୍ଦ୍ରମଣି ତ୍ରିପାଠି ତଥା ବିଭିନ୍ନ ମନ୍ତ୍ରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖଙ୍କୁ ବୈଶାଖ ମେଳା ପାଇଁ ଆମନ୍ତ୍ରଣ କରିଥିଲେ । ସୂଚନା ଯୋଗ୍ୟ ଯେ କେଉଁ ଆବହମାନ କାଳରୁ ଅନୁଷ୍ଠିତ ହୋଇ ଆସୁଥିବା ବୈଶାଖ ମେଲାକୁ ପ୍ରତିବର୍ଷ ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଥାନ୍ତି। ଏହି ପବିତ୍ର ପୀଠର ମାହାତ୍ମ୍ୟ, ବିଶ୍ୱାସ ଓ ଭକ୍ତି ପାଇଁ ଭକ୍ତଙ୍କୁ ଟାଣି ଆଣି ଥାଏ । ଚଳିତ ବର୍ଷ ମଧ୍ୟ ଓଡ଼ିଶା, ଛତିଶଗଡ଼ ତଥା ବିଭିନ୍ନ ରାଜ୍ୟରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଏହି ଭାବ ଭକ୍ତି ଭରା ମହୋତ୍ସବକୁ ଆହୁରି ପ୍ରଚାର ପ୍ରସାର କରିବା ପାଇଁ ଚଳିତ ବର୍ଷ ବିଭିନ୍ନ ବର୍ଗର ଲୋକଙ୍କୁ ଆମନ୍ତ୍ରଣ କରାଯାଉଛି । ତେଣୁ ମେଲା କମିଟି ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଚାଲିଥିବାର ଜଣାଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!